ଆଜି ପଣା ସଂକ୍ରାନ୍ତି ତଥା ଓଡିଆ ନୂଆବର୍ଷ

ଶବ୍ଦ ଓଡିଶା ବ୍ୟୁରୋ: ଆଜି ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ । ସାରା ଓଡ଼ିଶାରେ ନୂଆବର୍ଷ ପାଳନ ପାଇଁ ଆୟୋଜନ କରାଯାଇଛି । ପଣାସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ହୋଇପଡିଛି ମନ୍ଦିର ଓ ମଠ । ସଂକ୍ରାନ୍ତି ଯୋଗୁ ବିଭିନ୍ନ ପନିପରିବା ଦର ଆକାଶଛୁଆଁ ହୋଇଛି । ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ । ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ ।
ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ । ଚଣ୍ଡୀ, ସାରଳା, ବିରଜା ଆଦି ଠାକୁରାଣୀ ମନ୍ଦିରମାନଙ୍କରେ ଏହି ଦିନ ଝାମୁ ଯାତ ପାଳନ କରାଯାଏ । ଘଣ୍ଟ ପାଟୁଆମାନେ ଘଣ୍ଟ ମୁଣ୍ଡେଇ, କାଠ ଗୋଡ଼ ପିନ୍ଧି ଠାକୁରାଣୀ ମନ୍ଦିର ଆଗରେ ନିଆଁ ଉପରେ ଚାଲିବାର ପ୍ରଥା ରହିଛି । ଦକ୍ଷିଣ ଓଡ଼ିଶାରେ ମାସାଧିକ କାଳ ଧରି ଚାଲିଥିବା ଦଣ୍ଡ ନାଟର ଅନ୍ତ ଭାବେ ଏହି ଦିନ ମେରୁ ଯାତ ପାଳନ କରାଯାଏ । ଲୋକେ ବେଲ ପଣା ଓ ଛତୁଆ ସହ ଏହାକୁ ପାଳନ କରନ୍ତି । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ ।

You May Also Like

More From Author

+ There are no comments

Add yours