ଶବ୍ଦ ଓଡିଶା ବ୍ୟୁରୋ: ବେଦାନ୍ତ ବିଶ୍ୱବିଦ୍ୟାଳୟରେ ପୂର୍ଣ୍ଣଚ୍ଛେଦ । ପୁରୀ-କୋଣାର୍କ ମେରାଇନ ଡ୍ରାଇଭର ବେଲଦଳ ଅଞ୍ଚଳରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ମାମଲାରେ ଜମି ଅଧିଗ୍ରହଣକୁ ବେଆଇନ କହିଛନ୍ତି ସୁପ୍ରିମକୋର୍ଟ । ଏହା ସହ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତ ଦେଶର ସର୍ବୋଚ୍ଚ ନ୍ୟାୟାଳୟ । କମ୍ପାନୀକୁ ଅହେତୁକ ଅନୂୁକମ୍ପା ପାଇଁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି ।
କମ୍ପାନୀ ପ୍ରତି ଜମି ଓ ଅନ୍ୟାନ୍ୟ ସରକାରୀ ସହାୟତା ଦେଖି କୋର୍ଟ ବିସ୍ମିତ ହୋଇଯାଇଛନ୍ତିି । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ବେଦାନ୍ତ ଏହି ଅଞ୍ଚଳରେ ୧୦ ହଜାର ଏକର ଜମି ଅଧିଗ୍ରହଣ କରିଥିଲା । ଏହାସହ ବେଦାନ୍ତକୁ ୫ ଲକ୍ଷ ଟଙ୍କାର ଫାଇନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୨୦୦୬ ମସିହାରେ ରାଜ୍ୟ ସରକାର ଓ ବେଦାନ୍ତ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।
ତେବେ ୨୦୧୦ରେ ଜମି ଅଧିଗ୍ରହଣକୁ ବେଆଇନ କହିଥିଲେ ହାଇକୋର୍ଟ । ଚାଷୀଙ୍କୁ ଜମି ଫେରାଇବାକୁ ବି କହିଥିଲେ ହାଇକୋର୍ଟ । ଏହି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ରାଜ୍ୟ ସରକାର ଓ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ । ଜମି ଅଧିଗ୍ରହଣ ନେଇ ମାମଲା ଦୀର୍ଘଦିନ ଧରି କୋର୍ଟରେ ବିଚାରାଧୀନ ଥିଲା । ସୁପ୍ରିମକୋର୍ଟ ରାୟ ପରେ ବିଶ୍ୱବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ପକ୍ଷରୁ ପତିତପାବନ ପାଖରେ ଦୀପଦାନ କରାଯାଇଛି ।
+ There are no comments
Add yours