ଆଜିଠୁ ୨ଟି ପର୍ଯ୍ୟାୟରେ ଯୁକ୍ତଦୁଇ ପରୀକ୍ଷା ଖାତାଦେଖା

ଶବ୍ଦ ଓଡିଶା ବ୍ୟୁରୋ: ଆଜିଠୁ ଯୁକ୍ତ ଦୁଇ ଖାତା ଦେଖା । ଏଥିପାଇଁ ୧୦୪ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଖାତା ଦେଖାରେ ସାମିଲ ହେବେ ୧୫ ହଜାର ଅଧ୍ୟାପକ, ଅଧ୍ୟାପିକା । ପ୍ରଥମ ପର୍ଯ୍ୟାୟରେ ଅନଲାଇନରେ ମୂଲ୍ୟାୟନ ହେବ । ଏଥିରେ ପ୍ରାୟ ୩ ହଜାର ଓ ଅଫଲାଇନରେ ୫ ହଜାର ମୂଲ୍ୟାୟନକାରୀ ନିୟୋଜିତ ହେବେ । ବିଜ୍ଞାନ ଓ ଗଣିତ ବିଭାଗର ବିଷୟଗୁଡିକର ଇ-ମୂଲ୍ୟାୟନ ଲାଗି ୩୯ଟି କେନ୍ଦ୍ର କରାଯାଇଛି । ମାନୁଆଲ ମୂଲ୍ୟାୟନ ହେବାକୁ ଥିବା କଳା ଓ ଧନ୍ଦମୂଳକ ବିଷୟଗୁଡିକରେ ୬୫ଟି କେନ୍ଦ୍ର ହୋଇଛି । ଅନଲାଇନ୍ ମୂଲ୍ୟାୟନ ଚଳିତମାସ ୨୨ ତାରିଖ ଯାଏଁ ଚାଲିବାକୁ ଥିବା ବେଳେ ଅଫଲାଇନ ମୂଲ୍ୟାୟନ ୨୧ ଯାଏ ଚାଲିବ ।
ପ୍ରଥମ ପର୍ଯ୍ୟାୟରେ କଳା ବିଭାଗର ଇତିହାସ, ଅର୍ଥନୀତି, ଆଇଟି, ମନୋବିଜ୍ଞାନ, ସାମାଜିକ ବିଜ୍ଞାନ, ଭୂଗୋଳ, ପରିସଂଖ୍ୟାନ ପରି ୧୭ଟି ବିଷୟ, ବିଜ୍ଞାନ ବିଭାଗର ଇଂରାଜୀ, ଓଡ଼ିଆ, ପଦାର୍ଥ ବିଜ୍ଞାନ, ଆଇଟି, ଭୂଗୋଳ, ଭୂତତ୍ତ୍ବ ବିଜ୍ଞାନ ପରି ୧୮ଟି ବିଷୟ ଓ ବାଣିଜ୍ୟ ବିଭାଗର ଇଂରାଜୀ, ଓଡ଼ିଆ, ଏଇ, ବିଏମ୍‌ଏସ୍‌, ସିଏସି, ଏଫ୍‌ଏମ୍‌ଏ, ସିଏ, ବିଏସ୍‌ଇ ପରି ୧୪ଟି ବିଷୟର ମୂଲ୍ୟାୟନ କରାଯିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୫ରୁ ମେ ୫ ମଧ୍ୟରେ ଅନଲାଇନ୍ ଓ ଏପ୍ରିଲ ୨୩ରୁ ମେ ୪ ମଧ୍ୟରେ ଅଫଲାଇନ୍ ଖାତା ଦେଖାହେବ । ଏହି ପର୍ଯ୍ୟାୟରେ କଳା ବିଭାଗର ଇଂରାଜୀ, ‌ଓଡ଼ିଆ, ଗଣିତ, ରାଜନୀତି ବିଜ୍ଞାନ, ଶିକ୍ଷା, ଗୃହ ବିଜ୍ଞାନ ପରି ୨୭ଟି ବିଷୟ, ବିଜ୍ଞାନ ବିଭାଗର ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଗଣିତ ପରି ୨୪ଟି ବିଷୟ, ବାଣିଜ୍ୟର ୧୮ ଓ ଧନ୍ଦାମୂଳକ ବିଭାଗର ସମସ୍ତ ୧୮ଟି ବିଷୟର ମୂଲ୍ୟାୟନ କରାଯିବ । ମେ’ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

You May Also Like

More From Author

+ There are no comments

Add yours