ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ତଦନ୍ତକୁ ଆଗକୁ ବଢିବାକୁ ଦେଉ ନାହାନ୍ତି ଦୁଇ ଅଣଓଡ଼ିଆ ଅଫିସର:ବିଜୟ ମହାପାତ୍ର

ଶବ୍ଦମିଡ଼ିଆ ବ୍ୟୁରୋ:ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା । ରାଜ୍ୟ ରାଜନୀତିର ସବୁଠାରୁ ଚର୍ଚ୍ଚିତ ଘଟଣା।ଏଭଳି ଘଟଣା ଓଡିଶା ରାଜନୀତିରେ କେବେ ଘଟିନଥିଲା।ଏହା ମଧ୍ୟରେ ହତ୍ୟାକାଣ୍ଡକୁ ଦେଢ଼ ମାସ ପୁରୀ ସାରିଲାଣି ହେଲେ ହତ୍ୟାକାଣ୍ଡର ପରଦାଫାସ ହୋଇପାରୁନାହିଁ।ଗୋଟିଏ ପଟେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ଭାର ଦେଇଥିବାବେଳେ ସାଧରଣରେ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।ଏ ପ୍ରସଙ୍ଗକୁ ନେଇ ଏବେ ମୁହଁ ଖୋଲିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର। ସେ କହିଛନ୍ତି ଯେ ହତ୍ୟା ଘଟଣାର ତଦନ୍ତ ଆଗକୁ ନେବାକୁ ଚାହୁଁନାହାନ୍ତି ୨ ଅଣ ଓଡିଆ ଅଫିସର ।

ଜଣେ ଆଇଏଏସ ଓ ଆଉ ଜଣେ ଆଇପିଏସ ଅଫିସର ଏହା ଚାହୁଁନାହାନ୍ତି । ଘଟଣା ବାବଦରେ ଲୋକଙ୍କୁ ଚାପ ପକାଇ ପ୍ରତିକ୍ରିୟା ରଖିବାକୁ ବାଧ୍ୟ କରାଯାଉଛି । ନବ ଦାସ ହତ୍ୟାକାଣ୍ଡର ନିଆଁ ଲିଭିବ ନାହିଁ । ସାଧାରଣରେ ବଢୁଥିବା ସନ୍ଦେହକୁ ସରକାର ଦୂର କରନ୍ତୁ ବୋଲି ଦାବି କରିବା ସହିତ ୨ ଅଫିସରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର ।

ବିଜୟ କହିଛନ୍ତି, “କିଛି ପୋଲିସ ଅଧିକାରୀ ରାଜ୍ୟ ପୋଲିସ ବିଭାଗକୁ ଚଳାଉଛନ୍ତି । ଦୁଇ ଜଣ ଅଣ ଓଡିଆ ଅଫିସର ସମସ୍ତ ଘଟଣାର ମୁଖ୍ୟ ନାୟକ । ଜଣେ ଆଇଇଏସ ଏବଂ ଆଉ ଜଣେ ଆଇପିଏସ ଅଫିସର । ନବ ହତ୍ୟା ଘଟଣାକୁ ଆଗକୁ ନେବାକୁ ସେମାନେ ଚାହାଁନ୍ତି ନାହିଁ । ଅଭିଯୁକ୍ତ ଓ ପୀଡିତଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ଅନ୍ୟମାନଙ୍କ ଜରିଆରେ ସେମାନେ ବ୍ୟବସ୍ଥା କରୁଛନ୍ତି । ସମସ୍ତଙ୍କୁ ଧମକେଇବା ଏମାନଙ୍କ କାର୍ଯ୍ୟ । ଝାରସୁଗୁଡାର ଜିଲ୍ଲା ପରିଷଦ ସଭ୍ୟ ଥିବା ବିଜୁ ଜନତା ଦଳର ନେତା ଘଟଣା ସମ୍ପର୍କରେ ଜାଣିଛନ୍ତି । ନବ ଦାସଙ୍କ ପାଖ ଲୋକ ଭାବେ ସେମାନେ ପରିଚିତ । ସେମାନଙ୍କୁ ଧମକେଇ ରଖାଯାଇଛି । ମିଡିଆ ଆଗରେ କିଛି କହିବାକୁ ବାରଣ କରାଯାଇଛି । ଆଜି ବି ସେମାନେ ଅଛନ୍ତି, ପୋଲିସ ସେମାନଙ୍କୁ ଜାଣିଛି । ତାଙ୍କୁ ଭୟଭୀତ କରାଇ ଘଟଣା ବିଷୟରେ ବାହାରେ ନ କହିବାକୁ ଚାପ ସୃଷ୍ଟି କରାଯାଇଛି ।”

ସେ ଆହୁରି ମଧ୍ୟ କହିଛନ୍ତି, “ଏହି ଅଫିସରଙ୍କର ଅହଙ୍କାର ବଢିଯାଇଛି । ଆମେ ଯାହା କହିବୁ ସେଇୟା ହେବ । ଆମେ କଥାରେ ପୋଲିସ ଚାଲିବ । ଆମେ ଯେମିତି କହିବୁ, ପୋଲିସ ସେମିତି ଚାଲିବ । ଅହଙ୍କାରରେ ଥିବାରୁ, ଭୁଲି ଯାଇଛନ୍ତି ସେମାନଙ୍କ ଭବିଷ୍ୟତରେ କଣ ଅଛି । ସବୁ ମୁଁ ବୋଲି ସେମାନେ ଭାବି ନେଇଛନ୍ତି । ନିଜକୁ ପୋଲିସ ଡିଜି, ମୁଖ୍ୟ ଶାସନ ସଚିବ ଭାବି ନେଇଛନ୍ତି । ଶାସନ କହିଲେ ନିଜକୁ ଭାବି ନେଇଛନ୍ତି । ଅହଙ୍କାରରୁ ସେମାନେ ଓହ୍ଲେଇ ଆସନ୍ତୁ । ଏତେ ବଡ଼ ସମ୍ବେଦନଶୀଳ ଘଟଣା ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଯିବ । ସେମାନେ ଆଜି ବି ଚାହୁଁଛନ୍ତି ଘଟଣାର ତଦନ୍ତ ସଠିକ ଭାବେ ନହେଉ ।”

ନବ କିଶୋର ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ଇନ କ୍ୟାମେରା ହୋଇ ରହିଯାଇଛି । ଇନ କ୍ୟାମେରା କରି ରଖିଲେ ବାହାରେ ସନ୍ଦେହ ବଢିବ । ସନ୍ଦେହର ନିଆଁ ଲିଭିବ ନାହିଁ । ଏ ଘଟଣା ଲିଭିବା ଘଟଣା ନୁହେଁ । ଖାଲି ଅପରାଧୀକୁ ଧରିଦେଲୁ ଏହା ସଫଳତା । ଏହି ଅହଙ୍କାର ଛାଡ଼ନ୍ତୁ । ଯେପର୍ଯ୍ୟନ୍ତ ମୋଟିଭ ନ ଆସିଛି, ସେପର୍ଯ୍ୟନ୍ତ ନବ ଦାସ ନିଆଁ ଲିଭିବ ନାହିଁ । ନବ ଦାସ କିମ୍ବା ତାଙ୍କ ପରିବାର ସେପର୍ଯ୍ୟନ୍ତ ନ୍ୟାୟ ପାଇବେ ନାହିଁ । ଲୋକଙ୍କ ମନରୁ କେବେ ବି ନବ ଦାସ ହତ୍ୟାକାଣ୍ଡର ନିଆଁ ଲିଭିବ ନାହିଁ । ତେଣୁ ବଢୁଥିବା ସନ୍ଦେହ ସରକାର ଦୂର କରନ୍ତୁ ବୋଲି ବିଜୟଙ୍କ ଦାବି ରହିଛି ।

ଯେତେବେଳେ କୌଣସି ଅଭିଯୁକ୍ତ ଜେଲରେ ରୁହେ, ତାହାର ସ୍ବାସ୍ଥ୍ୟ ପରୀକ୍ଷା ଦାୟିତ୍ବ ଆଇଜି ପ୍ରଜିନ୍ସର । ଅପରାଧୀର ସ୍ବାସ୍ଥ୍ୟ ପରୀକ୍ଷା କରେ କେଉଁଠି କ୍ରାଇମବ୍ରାଞ୍ଚ କରେନି । କିନ୍ତୁ କ୍ରାଇମବ୍ରାଞ୍ଚ କାହିଁକି ଗୋପାଳର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବ୍ୟସ୍ତ । ଗୋଟିଏ ପରେ ଗୋଟେ ପଦକ୍ଷେପରେ ପ୍ରଳୟଙ୍କାରୀ ଭୁଲ ହେଉଛି । ସତ୍ୟ ଯେପର୍ଯ୍ୟନ୍ତ ବାହାରକୁ ନଆସିଛି, ସେପର୍ଯ୍ୟନ୍ତ ପୋଲିସ, ସରକାର ଓ ଶାସନ କଳ ସମସ୍ତେ ସନ୍ଦେହ ଘେରରେ ରହିବେ ବୋଲି କହିଛନ୍ତି ବିଜୟ ।

ଦୀପାଳି ଦାସ ତାଙ୍କ ବୟାନ ରଖିବେ । ତାଙ୍କୁ ବୟାନ ରଖିବାକୁ ମନା ନାହିଁ । ନେତାମାନେ ତାଙ୍କ ବୟାନ ରଖିବେ । ତାଙ୍କର ବୟାନ ରଖିବା ଅଧିକାର ମଧ୍ୟ ଅଛି । ଏହା ଦୀପାଳି ଦାସଙ୍କ ମାମଲା ନୁହେଁ । ଏହା ରାଜ୍ୟର ମାମଲା । ଆମେ ଦୀପାଳି ଦାସଙ୍କ ସହିତ ସମ୍ପୂର୍ଣ୍ଣ ଭାବେ ଏକମତ । ତାଙ୍କ ପରିବାର କ୍ଷତିଗ୍ରସ୍ତ ହୋଇଛି । ଦୀପାଳି ଦାସ ଚାହିଁବା ଦରକାର, ସତ ପଦାକୁ ଆସୁ । ଦୀପାଳିଙ୍କୁ ବିରୋଧ କରିବା ଲାଗି କେହି ମତ ରଖୁନାହାନ୍ତି । ତାଙ୍କର ଯେଉଁମାନେ ବିଶ୍ବସ୍ତ, ସେମାନେ ସତ୍ୟପାଠ କାହିଁକି କରୁନାହାନ୍ତି । ଜଷ୍ଟିସ ଦାସ ଓ ପୋଲିସ ଡିଜି ଉତ୍ତର ରଖନ୍ତୁ ବୋଲି ବିଜୟ ଦାବି କରିଛନ୍ତି ।ବିଜୟଙ୍କର ଦୃଢୋକ୍ତି ତଦନ୍ତ ପରିସରଭୁକ୍ତ ଅଧିକାରୀ ଏବଂ ରାଜ୍ୟ ସରକାରଙ୍କୁ ନିସାନା କରିବ।

You May Also Like

More From Author

+ There are no comments

Add yours