Thu. Oct 15th, 2026


ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି ଏବଂ ରେଳ ବିଭାଗ ସେମାନଙ୍କ ଯାତ୍ରାକୁ ସୁବିଧାଜନକ କରିବା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଥାଏ। ଭାରତୀୟ ରେଳ ଯାତ୍ରୀମାନଙ୍କୁ ଏପରି ଅନେକ ସୁବିଧା ଯୋଗାଇଥାଏ, ଯାହା ସାଧାରଣ ଲୋକ ଜାଣି ନାହାଁନ୍ତି। ସେ ସବୁ ମଧ୍ୟରୁ ଯାତ୍ରୀମାନଙ୍କର ଖାଦ୍ୟ ଉପରେ ରେଳ ବିଭାଗର ବିଶେଷ ସୁବିଧା ସୁଯୋଗ ରହିଛି। ଚାଲନ୍ତୁ ନଜର ପକାଇବା ଭାରତୀୟ ରେଳର ଏହି ସୁବିଧା ବିଷୟରେ।

ଅଧିକାଂଶ ସମୟରେ ବିଭିନ୍ନ ଟ୍ରେନ୍‌ ବିଳମ୍ବରେ ଆସୁଥିବାରୁ ଲୋକଙ୍କୁ ନାହିଁନଥିବା ଅସୁବିଧା ଭୋଗିବାକୁ ପଡ଼େ । ଯଦି ଆପଣଙ୍କ ସହିତ ମଧ୍ୟ ଏପରି ହେଉଛି, ତେବେ ଆପଣଙ୍କୁ ମାଗଣାରେ ଖାଦ୍ୟ ପ୍ରଦାନ କରିବା ପାଇଁ ଆଇଆରସିଟିସି ସ୍ୱତନ୍ତ୍ର ବ୍ୟବସ୍ଥା କରିଛି।

ଟ୍ରେନ୍ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଚାଲୁଥିଲେ, ଆଇଆରସିଟିସି ପକ୍ଷରୁ ଯାତ୍ରୀମାନଙ୍କୁ ଖାଦ୍ୟ ଏବଂ ଥଣ୍ଡା ପାନୀୟ ପ୍ରଦାନ କରାଯାଇଥାଏ । ଆଉ ସବୁଠାରୁ ବଡ଼ କଥା ହେଲା ଏହି ଖାଦ୍ୟ ଆପଣଙ୍କୁ ଆଇଆରସିଟିସି ଦ୍ୱାରା ମାଗଣାରେ ଦିଆଯାଏ । ଭାରତୀୟ ରେଳବାଇର ନିୟମ ଅନୁଯାୟୀ, ଟ୍ରେନ୍ ବିଳମ୍ବ ହେଲେ ଯାତ୍ରୀମାନଙ୍କୁ କ୍ୟାଟରିଂ ନୀତି ଅନୁସାରେ ଜଳଖିଆ ଏବଂ ଭୋଜନ ଯୋଗାଇ ଦିଆଯାଉଛି । ଏପରି ସ୍ଥିତିରେ ଆପଣ ଏବିଷୟରେ ଅବଗତ ଥିଲେ, ଏହି ଅଧିକାରର ଲାଭ ଉଠାଇ ପାରିବେ ।

ଆଇଆରସିଟିସିର ନିୟମ ଅନୁଯାୟୀ, ଯଦି ଟ୍ରେନ୍ ଦୁଇ ଘଣ୍ଟା କିମ୍ବା ତା’ଠାରୁ ଅଧିକ ବିଳମ୍ବ ହୁଏ, ତେବେ କେବଳ ମାଗଣା ମିଲ୍ ସୁବିଧା ଦିଆଯାଏ । ଆଇଆରସିଟିସି ପକ୍ଷରୁ ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନରେ ଭାତ, ଡାଲି, ଆଚାର ପ୍ୟାକେଟ୍ ଯୋଗାଇ ଦିଆଯିବ । ଏସବୁ ନଥିଲେ ପୁରୀ, ମିକ୍ସ-ଭେଜ୍‌, ଆଚାର ପ୍ୟାକେଟ୍ ଓ ଲୁଣ ଦିଆଯିବ । ଅନ୍ୟପକ୍ଷରେ ଯାତ୍ରୀମାନଙ୍କୁ ଜଳଖିଆ ପାଇଁ ଚା କିମ୍ବା କଫି ଏବଂ ଦୁଇଟି ବିସ୍କୁଟ ମଧ୍ୟ ଦିଆଯାଏ ।

ସେହିପରି ସନ୍ଧ୍ୟାରେ ଚା କିମ୍ବା କଫି ଏବଂ ଚାରି ଖଣ୍ଡ ପାଉଁରୁଟି ସହିତ ଏକ ବଟର ଯୋଗାଇ ଦିଆଯାଏ। ଏହି ସୁବିଧା କେବଳ ଏକ୍ସପ୍ରେସ ଟ୍ରେନର ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ।

Leave a Reply

Your email address will not be published. Required fields are marked *