Thu. Oct 15th, 2026

‘ହମ୍ ରହେଁ ୟା ନା ରହେଁ କଲ୍ ୟାଦ୍ ଆଏଁଗେ ୟେ ପଲ୍’… ବଲିଉଡର ଏହି ମନଛୁଆଁ ଗୀତ ଆଜି ସତ ପାଲଟିଛି। ନିଜ ଗୀତରେ ଶ୍ରୋତାମାନଙ୍କୁ ବିମୁଗ୍ଧ କରିଥିବା ଲୋକପ୍ରିୟ ଗାୟକ କେ.କେ. ଶେଷରେ ‘ମ୍ୟୁଜିକ୍ କନ୍ସର୍ଟ’ରେ ହିଁ ଚିରଦିନ ପାଇଁ ବିଦାୟ ନେଇଯାଇଛନ୍ତି । ୫୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ତାଙ୍କ ମୃତୁ୳ର ଖବର ସଙ୍ଗୀତ ଜଗତକୁ ଏକ ଶକ୍ତ ଧକ୍କା ଦେଇଥିବା ବେଳେ ଶୋକର ଛାୟା ଖେଳାଇ ଦେଇଛି। ମୃତ୍ୟୁର ପ୍ରାୟ ୧୦ ଘଣ୍ଟା ପୂର୍ବରୁ ସେ କୋଲ୍କାତାରେ ଆୟୋଜିତ ‘ମ୍ୟୁଜିକାଲ୍ କନ୍ସର୍ଟ’ର ଭିଜୁଆଲ୍ ତାଙ୍କ ଅଫିସିଆଲ୍ ‘ଇନ୍ଷ୍ଟାଗ୍ରାମ୍ ପେଜ୍’ରେ ପୋଷ୍ଟ୍ କରାଯାଇଛି। କୋଲ୍କାତାର ‘ନଜ୍ରୁଲ୍ ମଞ୍ଚ ଅଡିଟରିୟମ୍’ରେ କନ୍ସର୍ଟ ଶେଷ ହେବା ପରେ ରାତ୍ରୀଯାପନ କରୁଥିବା ହୋଟେଲ୍ରେ ହିଁ ୫୩ ବର୍ଷୀୟ କୃଷ୍ଣକୁମାର କୁନ୍ନଥ ଓରଫ କେ.କେ. ତଳେ ପଡ଼ିଯାଇ ଚେତା ହରାଇଥିଲେ। ମୃତାବସ୍ଥାରେ ଗାୟକ କେ.କେ.ଙ୍କୁ ଡାକ୍ତରଖାନା ଅଣାଯାଇଥିବା କଥା ‘ସିଏମ୍ଆରଆଇ’ ହସ୍ପିଟାଲ୍ର ଡାକ୍ତର କହିଛନ୍ତି। ମଞ୍ଚରେ କେ.କେ. ନାମରେ ସୁପରିଚିତ କୃଷ୍ଣକୁମାର କୁନ୍ନାଥ ‘ପଲ୍’ ଏବଂ ‘ୟାରୋଁ’ ପରି ଗୀତ ପାଇଁ ଖୁବ୍ ଲୋକପ୍ରିୟ ହୋଇ ପାରିଥିଲେ। ୧୯୯୦ ଦଶକ ଶେଷ ଭାଗରେ ତାଙ୍କର ଗୀତ ସବୁ ଯୁବପିଢିଙ୍କୁ ଏମିତି ସ୍ପର୍ଶ କରିଥିଲା ଯେ, ସ୍କୁଲ୍ ଓ କଲେଜ୍ ଫେୟାର୍ୱେଲ୍ ପରି ସାଂସ୍କୃତିକ କାର୍ୟ୍ୟକ୍ରମରେ ପରିବେଶଣ କରାଯାଉଥିଲା।

କିପରି ଥିଲା କେକେ ଙ୍କ ଯାତ୍ରା?
୧୯୯୯ ମସିହାରେ ତାଙ୍କର ସର୍ବପ୍ରଥମ ଆଲ୍ବମ୍ ‘ପଲ୍’ ସମୀକ୍ଷକମାନଙ୍କ ଠାରୁ ଭଲ ମତାମତ ହାସଲ କରିଥିଲା। ଏହାପରେ, ୨୦୦୦ ମସିହା ଆରମ୍ଭରୁ ସେ ପ୍ରଚ୍ଛଦପଟ୍ଟ ଗାୟନରେ କ୍ୟାରିଅର୍ ଆରମ୍ଭ କରି ବଲିଉଡ୍ ଚଳଚ୍ଚିତ୍ର ପାଇଁ ଅନେକ ଲୋକପ୍ରିୟ ଗୀତ ରେକର୍ଡ କରିଥିଲେ। ପରେ ତାଙ୍କ ମୁଜିକ୍ ଗାଡ଼ିରେ ଆଉ ରୋକ ଲାଗି ନ ଥିଲା। ଗୋଟିଏ ପରେ ଗୋଟିଏ ସୁପରହିଟ୍ ଦେଇଥିଲେ ଦର୍ଶକଙ୍କୁ। ସେ ତାଙ୍କ ଅଫିସିୟାଲ୍ ୱେବ୍ସାଇଟ୍ର ସ୍ମୃତିଲିପି ‘ଦି ମେଜ୍ମରାଇଜର୍’ ରେ କେ.କେ. କହିଥିଲେ, ମଞ୍ଚରେ ଥିବା ବେଳେ ଜଣେ ଶିଳ୍ପୀ ମଧ୍ୟକୁ ଏକ ପ୍ରକାରର କ୍ଷମତା ଚାଲିଆସେ। ଦେହପା’ ଯେମିତି ଥାଉ ନା କାହିଁକି, ମଞ୍ଚ ଉପରକୁ ଚାଲି ଆସିଲେ ସେସବୁ ବିସ୍ମରଣ ହୋଇଯାଏ। କେବଳ ପରିବେଶଣ କରିଚାଲେ।

ହିନ୍ଦୀ ସମେତ କେ.କେ. ତାମିଲ୍, ତେଲୁଗୁ, କନ୍ନଡ଼, ମାଲୟଲମ, ମରାଠୀ ଏବଂ ବଙ୍ଗଳା ଆଦି ଭାଷାରେ ମଧ୍ୟ ଗୀତ ଗାଇଛନ୍ତି। ‘ଖୁଦା ଜାନେ’, ‘ତୁ ହି ମେରି ସବ୍ ହୈ’, ‘ଆୱାରାପନ୍ ବଞ୍ଜାରପନ୍’, ‘ତଡ଼ପ୍ ତଡ଼ପ୍ କେ’ (‘ହମ୍ ଦିଲ୍ ଦେ ଚୁକେ ସନମ୍’ ଚଳଚ୍ଚିତ୍ରର) ଆଦି ହେଉଛି ସେ ଗାଇଥିବା କେତୋଟି ହୃଦୟଶ୍ପର୍ଷୀ ଗୀତ।

Leave a Reply

Your email address will not be published. Required fields are marked *