ହିମାଚଳ ପ୍ରଦେଶରେ କ୍ଷମତାସୀନ କଂଗ୍ରେସକୁ ବଡ଼ ଝଟକା। ସଂଖ୍ୟା ଗାରିଷ୍ଠତା ଥାଇ ବି ଦଳ ରାଜ୍ୟସଭା ନିର୍ବାଚନରେ ହାରିଛି। ଦଳର ୬ ଜଣ ବିଧାୟକ ଓ ସରକାରଙ୍କୁ ସମର୍ଥନ କରୁଥିବା ୩ ଜଣ ସ୍ୱାଧୀନ ବିଧାୟକ କ୍ରସ ଭୋଟିଂ କରିବାରୁ କଂଗ୍ରେସ ରାଜ୍ୟସଭା ଆସନ ହରାଇଛି। ବିଜେପି ପାଖରେ ମାତ୍ର ୨୫ ଜଣ ବିଧାୟକ ଥିଲେ ହେଁ ଦଳ ହିମାଚଳ ପ୍ରଦେଶର ୧ ମାତ୍ର ଆସନ କବଜା କରିବାକୁ ସକ୍ଷମ ହୋଇଛି।କଂଗ୍ରେସ ଅଭିଷେକ ମନୁ ସିଙ୍ଘଭୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ହର୍ଷ ମହାଜନଙ୍କୁ ଟିକେଟ ଦେଇଥିଲା। କ୍ରସ ଭୋଟିଂ ଯୋଗୁ ବିଜେପି ସପକ୍ଷରେ ୩୪ ଖଣ୍ଡ ଭୋଟ ପଡ଼ିଥିଲା। କଂଗ୍ରେସର ଜଣେ ବିଧାୟକ ଅସୁସ୍ଥତା କାରଣରୁ ଭୋଟ ଦେବାକୁ ଆସି ନଥିଲେ। ତେଣୁ ୩୪-୩୩ରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କଂଗ୍ରେସ ମଧ୍ୟ ପରାଜୟ ସ୍ୱୀକାର କରିବା ସହ ବିଜେପିର ହର୍ଷ ମହାଜନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଧାନସଭାରେ ମୋଟ ୬୮ ଆସନ ମଧ୍ୟରୁ କଂଗ୍ରେସର ୪୦ ବିଧାୟକ ଥିଲେ ବି କ୍ରସ ଭୋଟିଂ ଯୋଗୁଁ ବାଜି ମାରିନେଇଛି ବିଜେପି ।ସେପଟେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁକଖୁ ଅଭିଯୋଗକରିଛନ୍ତି ଯେ ବିଜେପି ପକ୍ଷରୁ ତାଙ୍କ ବିଧାୟକଙ୍କ ଅପହରଣ କରି ହରିୟାଣା ନିଆଯାଇଛି । ସେମାନଙ୍କୁ ହରିୟାଣାର ପଞ୍ଚକୁଲାରେ ଥିବା ଏକ ସରକାରୀ ସର୍କିଟ ହାଉସରେ ରଖାଯାଇଥିବା ସୂଚନା ମିଳିଛି ।