Wed. Oct 14th, 2026

ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆସନ୍ତା ରବିବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ୍‌। ସେହିଦିନ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଭାରତୀୟ ବାୟୁ ସେନା ପକ୍ଷରୁ ସେଠାରେ ଏକ ଏୟାର ଶୋ’ କରାଯିବ। ଗୁଜରାଟ ପାଇଁ ନିୟୋଜିତ ପ୍ରତିରକ୍ଷା ଲୋକ ସଂପର୍କ ଅଧିକାରୀ (ପିଆରଓ) ଗୁରୁବାର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଭାରତୀୟ ବାୟୁ ସେନାର ସୂର୍ଯ୍ୟ କିରଣ ଏରୋବେଟିକ୍ ଟିମ୍ ଏହି ଏୟାର ଶୋ’ କରିବ। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ୧୦ ମିନିଟ୍ ପାଇଁ ଏହି ଏୟାର ଶୋ’ର ଆୟୋଜନ କରାଯିବ। ଏଥିପାଇଁ ଶୁକ୍ରବାର ଓ ଶନିବାର ସୂର୍ଯ୍ୟ କିରଣ ଏରୋବେଟିକ୍ ଟିମ୍ ଅଭ୍ୟାସ କରିବ।

ସୂର୍ଯ୍ୟ କିରଣ ଏରୋବେଟିକ୍ ଟିମ୍‌ରେ ୯ଟି ବିମାନ ଅଛି। ଏହା ଦେଶର ବିଭିନ୍ନ ସ୍ଥାନରେ ଅନେକ ଏୟାର ଶୋ’ କରି ପ୍ରଶଂସିତ ହୋଇଛି।

ବୁଧବାର ନ୍ୟୁଜିଲ୍ୟାଣ୍ଡକୁ ୭୦ ରନ୍‌ରେ ହରାଇ ଭାରତ ଫାଇନାଲରେ ପହଞ୍ଚିଥିବା ବେଳେ ଗୁରୁବାର ଦକ୍ଷିଣ ଆଫ୍ରିକାକୁ ହରାଇ ଅଷ୍ଟ୍ରେଲିଆ ଫାଇନାଲରେ ପହଞ୍ଚିଛି। ଅଷ୍ଟ୍ରେଲିଆ ଅଷ୍ଟମ ଥର ପାଇଁ ବିଶ୍ୱକପ ଫାଇନାଲରେ ପହଞ୍ଚିଥିବା ବେଳେ ଭାରତ ଚତୁର୍ଥ ଥର ପାଇଁ ପ୍ରବେଶ କରିଛି। ଅଷ୍ଟ୍ରେଲିଆ ୫ ଥର ବିଶ୍ୱକପ୍ ଜିତିଥିବା ବେଳେ ଭାରତ ୨ ଥର ଜିତିଛି।

Leave a Reply

Your email address will not be published. Required fields are marked *