ଅଦ୍ଭୁତ ହୋଟେଲ!

ଟ୍ରି ହୋଟେଲ, ସ୍ବିଡେନ୍- ନାଁ ଶୁଣିକି ହୁଏତ ଆଶ୍ଚର୍ୟ୍ୟ ହେଉଥିବେ। କିନ୍ତୁ ଏହା ସତ। ସ୍ବିଡେନ୍ର ଲୁଲେ ନଦୀ ଉପତ୍ୟକାରେ ଏହି ହୋଟେଲ୍ ଉପସ୍ଥିତ। ଗଛ ଉପରେ ତିଆରି ହୋଇଥିବା ଏହି ହୋଟେଲଟି କ୍ୟୁବ୍ ଆକାରର, ଯାହାର ଚାରିପଟ ମିରର୍ ଦ୍ୱାରା ଆଚ୍ଛାଦିତ। ଗଛଗୁଡ଼ିକର ପ୍ରତିଫଳନ ଏହା ଉପରେ ପଡ଼ୁଥିବାରୁ ହୋଟେଲଟି ସୁନ୍ଦର ଦେଖାଯାଏ। ‘ଦ ଟ୍ରି ଲଭର୍’ ଫିଲ୍ମରୁ ଅନୁପ୍ରାଣିତ ହୋଇ ଜୋନାସ୍ ସେଲ୍ବର୍ଗ ଅଗଷ୍ଟସେନ୍ ଏହି ହୋଟେଲଟି ତିଆରି କରିଥିଲେ।

ସନ୍ କ୍ରୁଇଜ୍ ରିସର୍ଟ, ସାଉଥ୍ କୋରିଆ- ସୂର୍ୟ୍ୟକିରଣ ଓ ପ୍ରାକୃତିକ ସୌନ୍ଦର୍ୟ୍ୟ ପାଇଁ ଏହି ସ୍ଥାନଟି ବେଶ୍ ପ୍ରସିଦ୍ଧ। ହୋଟେଲଟି ଜାହାଜ ଆକୃତିରେ ତିଆରି ହୋଇଛି, ଯାହା ସେଠାରେ ଥିବା ପାହାଡ଼ ଉପରେ ଅବସ୍ଥିତ। ସୂର୍ୟ୍ୟଙ୍କ ପ୍ରଥମ କିରଣ ଏଠାରେ ପଡ଼ୁଥିବାରୁ ଏହାର ସୌନ୍ଦର୍ୟ୍ୟ ଖୁବ୍ ନିଆରା। ହୋଟେଲଟିରେ ୨୧୧ଟି ରୁମ୍, କ୍ଲବ୍, ଓ୍ବାଟର ପୁଲ୍ ଆଦି ରହିଛି।

ଆଇସ୍ ହୋଟେଲ, ସ୍ବିଡେନ୍- ୧୯୮୯ରେ ତିଆରି ହୋଇଥିବା ଏଇ ହୋଟେଲଟି ହେଉଛି ପୃଥିବୀର ପ୍ରଥମ ହୋଟେଲ, ଯାହା ବରଫରେ ତିଆରି ହୋଇଛି। ପ୍ରତି ବର୍ଷ ଶୀତଦିନେ ଏହାର ଆକାରକୁ ବଦଳାଯାଏ। ଉଭୟ ଗରମ ଏବଂ ଥଣ୍ଡା ଥିବା ରୁମ୍ ଏଠାରେ ୧୫୦ଟି ରହିଛି। ଏଠାର ବେଡ଼୍ଗୁଡ଼ିକ ମଧ୍ୟ ବରଫରେ ତିଆରି ହୋଇଛି। ଏହାଛଡ଼ା ଏଠାରେ ଆଇସ୍ ଚର୍ଚ୍ଚ, ଆଇସ୍ ବାର୍, ଆଇସ୍ ଷ୍ଟୁଡିଓ ଏବଂ ଗରମ ଥିବା ୨ଟି ରେଷ୍ଟୁରାଣ୍ଟ ଓ ୪ଟି ମିଟିଂ ରୁମ୍ ରହିଛି।

କୋଷ୍ଟା ଭର୍ଡ଼େ, କୋଷ୍ଟାରିକା- ପ୍ରଶାନ୍ତ ମହାସାଗର ନିକଟବର୍ତ୍ତୀ କୋଷ୍ଟାଲ୍ ରେନ୍ ଫରେଷ୍ଟରେ ଏହି ହୋଟେଲ୍ ଅବସ୍ଥିତ। ଏହା ଦେଖିବାକୁ ଉଡ଼ାଜାହାଜ ପରି। ୧୯୬୫ ମସିହାରେ ତିଆରି ହୋଇଥିବା ‘ବୋଇଙ୍ଗ୍-୭୨୭’ ଉଡ଼ାଜାହାଜ ଆକୃତି ଅନୁଯାୟୀ ଏହା ତିଆରି ହୋଇଛି। ଏହା ମଧ୍ୟରେ ଥାଇ ଜଣେ ‘କାନୋପି’ ଜଙ୍ଗଲର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବ।

ଫିନ୍ ଲଫ୍ ରିସର୍ଟ, ନର୍ଦନ ଆୟର୍ଲାଣ୍ଡ- ଏହା ଦେଖିବାକୁ ବବଲ୍ସ ବା ଫୋଟକା ପରି ଓ ଟ୍ରାନ୍ସପରେଣ୍ଟ। ଏହା ମଧ୍ୟରେ ରହିଲେ ଆପଣ ବାହାର ଦୃଶ୍ୟକୁ ଭଲ ଭାବେ ଅର୍ଥାତ୍ ୧୮୦ଂ ରେ ଦେଖିପାରିବେ। ମୁଖ୍ୟତଃ ରାତି ସମୟରେ ବାହାର ସୌନ୍ଦର୍ୟ୍ୟକୁ ଭଲ ଭାବେ ଉପଭୋଗ କରିପାରିବେ।

You May Also Like

More From Author

+ There are no comments

Add yours