Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ: କୋଟିଆର ପିନ କୋଡ ପ୍ରସାରିତ ହେବା ପରେ ଆନ୍ଧ୍ର ନେତାଙ୍କ ମଧ୍ୟରେ ହଲଚଲ ସୃଷ୍ଟି ହୋଇଛି । କୋଟିଆକୁ ନିଜର କରିବା ପାଇଁ ଓଡିଶାର ରାଜନୈତିକ ନେତା, ପ୍ରଶାସନିକ ଅଧିକାରୀ, ସ୍ବେଚ୍ଛାସେବୀ ଓ ବିଭିନ୍ନ ସଂଗଠନ ମିଳିତ ଭାବେ ଆନ୍ଧ୍ର ବିରୁଦ୍ଧରେ ଚଲାଇଥିବା ଷଡଯନ୍ତ୍ରକୁ ଚିହ୍ନଟ ନକଲେ ଆନ୍ଧ୍ରପ୍ରଦେଶ କୋଟିଆକୁ ନିଜ ପକ୍ଷକୁ ନେବା ସଂଗ୍ରାମରେ ହାରିଯିବ ବୋଲି ଆନ୍ଧ୍ରପ୍ରଦେଶର ପ୍ରମୁଖ ରାଜନୈତିକ ଦଳ ଲୋକସତ୍ତା ପାର୍ଟିର ରାଜ୍ୟ ସଭାପତି ଭିସେଟ୍ଟୀ ବାବଜି ମତ ରଖିଛନ୍ତି ।

ବାବଜୀ ତାଙ୍କ ଦଳର ବରିଷ୍ଠ ନେତାଙ୍କ ସହ ଓଡିଶା ଓ ଆନ୍ଧ୍ର ସୀମାରେ ଥିବା କୋଟିଆ ପଂଚାୟତର କୁମ୍ବିମଡା, ପାନୁକୁବାଲାସା, ଧୂଳିପଦର, ଉପର ସେମ୍ବି, ନେରେଡିବାଲାସା ପ୍ରଭୃତି ଗ୍ରାମ ପରିଦର୍ଶନ କରି ଆଦିବାସୀମାନଙ୍କ ସହ କଥାବାର୍ତ୍ତା କରିବା ପରେ ଆନ୍ଧ୍ରପ୍ରଦେଶ ରାଜ୍ୟ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଯୋଜନାଗୁଡିକର କାର୍ଯ୍ୟକାରିତା ସହ ଜଡିତ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ବିବାଦୀୟ ଗ୍ରାମଗୁଡିକର ବହୁମୂଲ୍ୟ ଖଣିଜ ସମ୍ପଦକୁ ନିଜ ରାଜ୍ୟକୁ ସ୍ଥାନାନ୍ତର କରିବା ପାଇଁ ଓଡିଶା ସରକାର ଓ କର୍ତ୍ତୃପକ୍ଷ ଭଲ ଯୋଜନା ପ୍ରସ୍ତୁତ କରୁଛନ୍ତି ଏବଂ କାର୍ଯ୍ୟକାରୀ କରୁଛନ୍ତି। ରାଜ୍ୟର ସମସ୍ତ ରାଜନୈତିକ ଦଳ ସମାନ ପ୍ଲାଟଫର୍ମରେ ଆସି କାର୍ଯ୍ୟସୂଚୀ କାର୍ଯ୍ୟକାରୀ କରୁଛନ୍ତି। ଏହି ଏକତା ଯୋଗୁଁ କେନ୍ଦ୍ର ସରକାର କୋଟିଆକୁ ଡାକଘରକୁ ଓଡ଼ିଶାର ପିନ୍ କୋଡ୍ ୭୬୪୦୩୯ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଓଡିଶାର ସ୍ବେଚ୍ଛାସେବୀ ଓ ନେତାମାନେ ସୁପ୍ରିମକୋର୍ଟରେ କୋଟିଆକୁ ଓଡ଼ିଶାର ବୋଲି ପ୍ରମାଣ କରିବା ପାଇଁ ଏହାକୁ ଏକ ଦଲିଲ ଭାବରେ ବ୍ୟବହାର କରିବେ ।

କୋରାପୁଟ ଜିଲ୍ଲାପାଳ ଅବଦଲ ଅଖତର, ଏସପି ଅବିନାଶ ସୋନାକରଙ୍କ ସମେତ ଅନ୍ୟାନ୍ୟ ସରକାରୀ ଅଫିସର କୋଟିଆ ପଂଚାୟତର ଗ୍ରାମଗୁଡିକୁ ଗସ୍ତ କରି ଆଦିବାସୀମାନଙ୍କୁ ବିଭ୍ରାନ୍ତ କରିଛନ୍ତି । ସେମାନେ ଆନ୍ଧ୍ରପ୍ରଦେଶର ରାଜ୍ୟ ଅଧିକାରୀଙ୍କ ସହ ସମ୍ପର୍କ ନକରି ବିକାଶ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି ଏବଂ ସେମାନେ ଆନ୍ଧ୍ରପ୍ରଦେଶ ରାଜ୍ୟରେ ଚାଲିଥିବା ରାଜନୈତିକ ମତଭେଦକୁ ସେମାନଙ୍କ ସପକ୍ଷରେ ଭଲ ଉପଯୋଗ କରୁଛନ୍ତି ବୋଲି ଆନ୍ଧ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଆଦିବାସୀଙ୍କ ଅଭିଯୋଗକୁ ଆନ୍ଧ୍ର ସରକାର ବୁଝିବାରେ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *