Thu. Oct 15th, 2026

ପୁଣି ମିଳିଲା ହତ୍ୟା ଧମକ। ବଲିଉଡ଼ର ଭାଇଜାନ୍‌ ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଏନେଇ ମୁମ୍ବାଇ ପୁଲିସ ସୂଚନା ଦେଇଛି। ପୁଲିସର ସୂଚନାନୁସାରେ, ରାଜସ୍ଥାନର ଜଣେ ବ୍ୟକ୍ତି ଅଭିନେତାଙ୍କୁ ଏହି ଧମକ ଦେଇଛି। ପୁଲିସ କହିଛି ଯେ, ବ୍ୟକ୍ତି ଜଣକ ଏପ୍ରିଲ ୩୦ରେ ସଲମାନ ଖାନଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଛି। ଏହି ଧମକ ପାଇବା ପରେ ମୁମ୍ବଇ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ଟ୍ରେଲର ରିଲିଜ୍‌ ହେବାର ଗୋଟିଏ ଦିନ ପରେ ସଲମାନଙ୍କୁ ଏହି ଧମକ ମିଳିଛି।ମୁମ୍ବାଇ ପୁଲିସର ଅଧିକାରୀମାନେ କହିଛନ୍ତି ଯେ, କଲ୍ କରିଥିବା ବ୍ୟକ୍ତି ନିଜକୁ ରାଜସ୍ଥାନ ଯୋଧପୁରର ‘ଗୋଶାଳା ରକ୍ଷକ ରକି ଭାଇ’ ବୋଲି ପରିଚୟ ଦେଇଛି। ଧମକ ଦେଇଥିବା ବ୍ୟକ୍ତିଜଣକ ସଲମାନଙ୍କୁ କଲ୍‌ ବିଷୟରେ ଅବଗତ କରାଇବାକୁ ମଧ୍ୟ ପୁଲିସକୁ କହିଛି। ମୁମ୍ବଇ ପୁଲିସ ଓ କ୍ରାଇମବ୍ରାଞ୍ଚ ଏହି କଲ୍‌ର ଅନୁସନ୍ଧାନ ଆରମ୍ଭ କରିଛନ୍ତି। ଏଥିସହ ସଲମାନ ଖାନଙ୍କ ଘରେ ପୁଣି ସୁରକ୍ଷା କଡାକଡି କରାଯାଇଛି। ତେବେ ହତ୍ୟା ଧମକକୁ ଦୃଷ୍ଟିରେ ରଖି ପୂର୍ବରୁ ଅଭିନେତାଙ୍କୁ Y+ ବର୍ଗର ସୁରକ୍ଷା ଯୋଗାଇ ଦିଆଯାଇଛି ଏବଂ ତାଙ୍କ ସୁରକ୍ଷା ପାଇଁ ବୁଲେଟପ୍ରୁଫ୍ ଗାଡ଼ି ମଧ୍ୟ ଅଛି। ଏଠାରେ ସୂଚନାଯୋଗ୍ୟ, ପୂର୍ବରୁ ଅନେକ ଥର ଅଭିନେତାଙ୍କୁ ହତ୍ୟା ଧମକ ମିଳିଛି, ଯାହାପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢାଯାଇଥିଲା।

Leave a Reply

Your email address will not be published. Required fields are marked *